ରଜଦୋଳି ଗୀତ

 

 

 

 

 

 

 

 

ରଜଦୋଳି ଗୀତ

ଶ୍ରୀ ମାଗୁଣୀ ମହାପାତ୍ର

 

ବନସ୍ତେ ଡାକିଲି ଗଜ

 

ବରଷକେ ଆଜି ଲୋ, ଆସିଛି ରଜ,

 

ଆସିଛି ରଜଲୋ, ଘେନି ନୂଆ ସଜବାଜ ।

।୧।

ରାଶିରୁ ଛାଡ଼ିଲା ଚୋପା

 

ଗୋଡ଼ରେ ନାଇଛୁ ସରୁ ଅଳତା,

 

ସରୁ ଅଳତା ଲୋ, ମଥାରେ ସିନ୍ଦୁର ଟୋପା ।

।୨।

ଉଡ଼ିଲା ଶୁଆ ନାହାକା

 

ଦୋଳିଟା କାହିଁକି ଲାଗୁଛି ଏକା,

 

ଲାଗୁଛି ଏକା ଲୋ, ଝୁଲାଅ ପାହି ଦିନ ଏକା ଏକା ।

।୩।

ପାଚିଲା ବଇଁଚି କୋଳି

 

ବେକରେ ନାଇଛୁ ଗଜରା ମାଳି,

 

ଗଜରା ମାଳି ଲୋ, ଝୁଲାଅ ରଜରେ ଦୋଳି ।

।୪।

ପଣସ ପାଚିଲା ବନେ

 

ବନ ପୋଡ଼ିଗଲେ ଗୋ ଦୁନିଆ ଜାଣେ,

 

ଦୁନିଆ ଜାଣେ ଲୋ, ମନକଥା କିଏ ଜାଣେ ।

।୫।

ଶଙ୍ଖ ମଲମଲ ଗିନା

 

ଦରଦ ବୁଝଲୋ ଦରଦୀ ସିନା,

 

ଦରଦୀ ସିନା ଲୋ, ବଣିଆ ଚିହ୍ନେଟି ସୁନା ।

।୬।

ନିମ୍ୱର ବୁକେ ଚନ୍ଦନ

 

ଦେବତା ଗଢ଼ିଲା ନାରୀ ଜୀବନ,

 

ନାରୀ ଜୀବନ ଲୋ, ଦେଲା ତହିଁ ଯଉବନ ।

।୭।

ଡେମଣା ଛାଡ଼ିଲା କାତି

 

ପୁରୁଷ ସିନା ଲୋ ଭଅଁର ଜାତି,

 

ଭଅଁର ଜାତି ଲୋ, ନୂଆରେ ରସନ୍ତି ନିତି ।

।୮।

ଚାନ୍ଦରେ କଳଙ୍କ ଚିହ୍ନ

 

ନବ ଯଉବନ ଲୋ, କିଆଁ ଗୁମାନ

 

କିଆଁ ଗୁମାନ ଲୋ, ଅଇଲେଣି ଜୀବଧନ ।

।୯ ।

ପୋଖରୀ ତୁଠ ପଥର

 

ତତେ ଦେଖିଥିଲି ରେ ବାଲିବନ୍ଧର

 

ବାଲବନ୍ଧର ରେ, ଆଖି ଥିଲା ଏଣେ ତୋର ।

।୧୦ ।

ସାହାଡ଼ା ଗଛର ଛାଲି

 

ସେ ଦିନ କଥାକି ତେ ମନେ ନାହିଁ

 

ତୋମନେ ନାହିଁଲୋ, ଏଡ଼େ ମାନ କାହିଁପାଇଁ ।

।୧୧।

ଖୋସାରେ ଖୋସିଲି ଫୁଲ

 

କେତେ ତୁ ଦେଖାଉ ନୁଖୁରା ଗେଲ

 

ନୁଖୁରା ଗେଲରେ, ଭାଙ୍ଗି ନାହିଁ ଦୁଧଗାଲ ।

।୧୨ ।

ନଇରେ ଶୁଖିଲା ବାଲି

 

କେତେ ଫୁଲି ହେଉଲୋ ପୁଚୁକି ଗାଲି

 

ପୁଚୁକି ଗାଲି ଲୋ, ଦେଖାଉତୁ କେତେ ବେଲି ।

।୧୩।

ବାଜିଲା ତେଲଙ୍ଗୀ ବାଜା

 

ରସିକ ଯେ ଜାଣେ ସ୍ନେହର ମଜା,

 

ସ୍ନେହର ମଜାରେ, ସେ ସିନା ମୋ ମନରଜା ।

।୧୪।

ଦୂର ପରବତ ଶୋଭା

 

କାଞ୍ଚନ ପୁଲରେ ମଣ୍ଡିଛୁ ଗଭା,

 

ମଣ୍ଡିଛୁ ଗଭା ଲୋ, ସେତ ଯୁବା ମନ ଲୋଭା ।

।୧୫।

ପାଣିରେ କାଟିଲି ଗାର

 

ତୋପରି ଦେଖିଛି କେତେ ନାଗର

 

କେତେ ନାଗରରେ, ଗୋଡ଼ଧୂଳି ସରି ନୁହେ ମୋର ।

।୧୬।

ବାସିଲା ମହୁଲ ବଣ

 

ନାକଟେକି କେତେ କହୁ ତୁ ଟାଣ ଲୋ

 

କହୁ ତୁ ଟାଣ ଲୋ, ଭାଙ୍ଗିଯିବ ସତୀପଣ ।

।୧୭।

ବୟସ ବାର ତେଏର

 

କାହୁଁ ଶିଖିଲୁ ତୁ ଏଡ଼େ ନାଗର

 

ଏଡ଼େ ନାଗରରେ, ଅଛି ତ ବୟସ ତୋର ।

।୧୮।

ପାରା ଖାଇଗଲା ଧାନ

 

ତୁମେ କି ବୁଝିବ ଆମରି ମନ

 

ଆମରି ମନ ଲୋ, ସହୁ କେତେ ହୀନମାନ ।

।୧୯।

ଘାସରେ ମାଇ କାକର

 

କଥାରେ ପାଣିରେ ପକାଉ ସର

 

ପକାଉ ସରରେ କଥାରେ, ରହିଛି ଫେର ।

।୨୦।

ସମ୍ୱଲପୁରିଆ କୁଲା

 

ଥିରି ଥିରି କରି ଦୋଳିକି ଝୁଲା

 

ଦୋଳକି ଝୁଲା ଲୋ, ବାସ ତୋର ଉଡ଼ିଗଲା ।

।୨୧।

ଉସୁନା ଚାଉଳ ଚୁନା

 

କେତେ ଟାହୁଲୁଛୁରେ କାଳିଆ ସୁନା

 

କାଳିଆସୁନାରେ, ମୋ ଆଡ଼କୁ ଥରେ ଅନା ।

।୨୨।

ବଣରେ ଫୁଟିଲା ମଲ୍ଲି

 

ରସରେ ଭରିଛୁ ନବ ଛୁଇଲି

 

ନବ ଛଇଲିଲୋ, ରଖିବୁନି ମୋର ଅଳି ।

।୨୩।

କଇଠ ଗଛର ଅଠା

 

ତୁନି ତୁନି କହରେ ନକର ହଟା

 

ନକର ହଟାରେ, ସବୁରାତ ଫଳ ମିଠା ।

।୨୪।

ପହିଲି ରଜର ଦୋଳି

 

ତୋର ତୁଲେ ସହି ଲୋ ସରୁ କଙ୍କାଳି

 

ସରୁ କଙ୍କାଳିଲୋ, ଖେଳିବି ମୁଁ ଆଜି ଦୋଳି ।

।୨୫।

ଫୁଟିଲା ବନେ ମାଳତୀ

 

ଦଗାଦାର ସିନା ଗୋ ପୁରୁଷ ଜାତି

 

ପୁରୁଷ ଜାତି ଗୋ, ନିତି ନୂଆ ଖୋଜୁଥାନ୍ତି ।

।୨୬।

ବୁଲିଛି ବନେ ହରିଣୀ

 

ହସି ଗୀତ ଗାଉଲୋ ନବ ରଙ୍ଗିଣୀ

 

ନବ ରଙ୍ଗିଣୀ ଲୋ, ପଥର ହୁଅଇ ପାଣି ।

।୨୮।

କରଞ୍ଜ ପତର ନାଲି

 

ମନଭୁଲା ରୀତିଟି ଜାଣିଛି ଖାଲି

 

ଜାଣିଛ ଖାଲି ଗୋ, ମୋ ଚିତ କିଣିବ ବୋଲି ।୧୮।

।୨୭।

ସମ୍ୱଲପୁରିଆ ଶାଢ଼ୀ

 

ନାଲି ନାଲି ତୋର ଲୋ ହାତ ପାପୁଲି

 

ହାତ ପାପୁଲି ଲୋ, ଦେଖି ମୁଁ ଜୀବନ ଦେଲି ।

।୨୯।

କାଠଯୋଡ଼ି ନୂଆ ପୋଲ

 

ଭଲ ଲାଗୁନାହିଁ ତୁମରି ଗେଲ

 

ତୁମରି ଗେଲ ଗୋ, କରନା ଆଉ କଟାଳ ।

।୩୦।

କଳା ପାଣିରେ ଜାହାଜ

 

କାଲିକି ନ ଥିବ ଆଜି ମଉଜ

 

ଆଜି ମଉଜ ଲୋ, ଆଜି ଯା ପାହିଲୁ ରଜ ।

।୩୧।

ହାତୀ ଭାଙ୍ଗେ ବରଡାଳ

 

ଦିନଟାରେ କର ମୋସଙ୍ଗେ ଗୋଳ

 

ମୋ ସଙ୍ଗେ ଗୋଳ, ହସିବେ ସଙ୍ଗିନୀ ଦଳ ।

।୩୨।

ବଣରେ ଫୁଟିଲା ମଲ୍ଲୀ

 

କାହାଠାରୁ ଶିଖିଛ ଏ ନୂଆ ଚାଲି

 

ଏ ନୂଆ ଚାଲି ଲୋ, ଖେଳୁଛି ବାଙ୍କି ଶିଆଳି ।

।୩୩।

ନଇରେ ଚାଲେ ବାଳିଆ

 

ମୁଁ ତ ସୁନାଗୋରୀ ତୁମ୍ଭେ କାଳିଆ

 

ତୁମେ କାଳିଆ ଗୋ, ନାରୀରୂପ ରଙ୍କଳିଆ ।

।୩୪।

କିଆ ଫୁଟି ଛୁଟେ ବାସ

 

ତୋ ନାଲି ଓଠରେ ମୁରୁକି ହସ

 

ମୁରୁକି ହସ ଲୋ, ହସି ମତେ କଲୁ ବସ ।

।୩୫।

ତୋଟାରେ ଡାକେ କୋଇଲି

 

ଭାବିଛକି ମୋତେ ଗୋ କିଣା ପୋଇଲି

 

କିଣା ପୋଇଲିରେ, ଶୁଣିବ ଏଣିକି ଗାଳି ।

।୩୬ ।

ନଇରେ ଜୁଆର ପାଣି

 

ଆସ ଆସ ମୋର ଗୋ ରାଇଜ ରାଣି

 

ରାଇଜ ରାଣୀ ଲୋ, ଖେଳିବା ରଜ ଝୁଲଣୀ ।

।୩୭।

ଯାଉଛି ଉଡ଼ା ଜାହାଜ

 

ମୋତେ ଛାଡ଼ି ତୁମେ ଗୋ କର ମଉଜ

 

କର ମଉଜ ଲୋ, ମୋତେ ମାଡ଼ୁଅଛ ଲାଜ ।

।୩୮।

Image